Unknown

 

 

 

 

 

 

 

 

 

କରୁଣାସାଗର ଚଉତିଶା

ବିପ୍ରକାଶୀ ଦାସ

 

କେତେ କେତେ ଯୁଗଗଲା ନୀଳକନ୍ଦର

କଳ୍ପବଟ ତଳେ କରିଅଛନ୍ତି ଘର

କରୁଣାସାଗର ବାହୁପ୍ରସାରି କର

କରିବେ ଗୁଣ୍ଡିଚା ଯାତ୍ରା ଅଛି ମନର ।୧।

 

ଖଟିଛନ୍ତି ଅଶେଷ ବ୍ରହ୍ମାଣ୍ଡ ନାହାକୁ

ଖଟିଛନ୍ତି ଖଗପତି ସେହି ପାଦକୁ

କ୍ଷଣେ କ୍ଷଣେ ଚହଳ, ହରି ଶବଦ ଗୋଳ

ଖଞ୍ଜୁଛନ୍ତି ରଥେ ହୀରାମୋତି ପ୍ରବାଳ ।୨।

 

ଗୁଣ୍ଡିଚା ଉଚ୍ଛବ ଗୋଳ କେ କହୁ ଅତି

ଗଜଦନ୍ତେ ଗଜପତି ରଥ ଗଡ଼ାନ୍ତି

ଗଜମୁକୁତା ଝରା, ଗଣ୍ଠି ମାଣିକ୍ୟହୀରା

ଗଢ଼ୁଛନ୍ତି ବିଶ୍ୱକର୍ମା ପତନି ଫେରା ।୩।

 

ଘଟୁଆଳ ପଣେ ଦାନସାଧୁତା ଥିଲେ

ଘେନିଭାଇ ବହିଣୀଙ୍କି ରଥେ ଚଢ଼ିଲେ

ଘରଘରଣୀ ଛାଡ଼ି, ନନ୍ଦିଘୋଷରେ ଚଢ଼ି

ଘରବରଲାଜ ଦୂରେ ଥୋଇଲେ ଏଡ଼ି ।୪।

 

ଅନ୍ଧାର ପକ୍ଷରେ ଅଣସରେ ରହିଲେ

ଅଣିହୋଇ ଦଶ ପାଞ୍ଚଦିନ ଶୋଇଲେ

ଅନନ୍ତର ମହିମା, ଜାଣି ନୁହଇ ସୀମା

ଅହଲ୍ୟାକୁ ତାରିଛନ୍ତି ଏହିଟି ସିନା ।୫।

 

ଚତୁରମାନଙ୍କ ଗୁରୁ ଚକ୍ରକୂଟଙ୍କ

ଚୋରାଇ ଆଣିଲେ କନ୍ୟା ଅତି ଛଟକ

ଚକ୍ରେ ଛେଦିଲେ ଭାଇ, ଚିତ୍ତେ ଲେଖା ନ ଯାଇ

ଚହଳ ଗହଳ ହରିଧ୍ୱନି ଶୁଭଇ ।୬।

 

ଛତିଶା ନିଯୋଗ ଘେନି ସେ ଛତ୍ରପତି

ଛଡ଼ାଇଲେ ନୀଳଗିରିଙ୍କୁ ମନେ ଚିନ୍ତି

ଛତ୍ରଗହଳ, ହରି ଶବଦ ଗୋଳ

ଛଛନ୍ଦେ ଶ୍ରୀମୁଖ ଦେଖି ଏ ଚର୍ମ ଡୋଳ ।୭।

 

ଜଗନ୍ନାଥ ଜଗବନ୍ଧୁ ଜଗତପତି

ଜରାସନ୍ଧ ମରାଇଲେ ଏହି ମୂରତି

ଯୋଗୀ ଜପିଲେ ଜପ, ଯୋଗ ସାଧିଲେ ତପ

ଜଗନ୍ନାଥ ରଥେ ଦେଖି ଛଡ଼ାଅ ପାପ ।୮।

 

 

ଝାଡ଼ ବିନୋଦିଆ ଏହୁ ଝଗଡ଼ ଗୁରୁ

ଝଗଡ଼ା ଲଗାଇଲେ ନୀଳକନ୍ଦରୁ

ଝିମିଟେ ରହି ଦେଖ, କଳାପଙ୍କଜ ମୁଖ

ଝୁଲି କରିଛନ୍ତି ଯାକୁ ତ୍ରୈଲୋକ୍ୟ ଲୋକ ।୯।

 

ନାହିଁ ଆଦି ଅନ୍ତ ଏହୁ ନୁହନ୍ତି ନୂଆ

ନ ଜାଣି ନୁହଇ ତାଙ୍କର ଅଶେଷ ମାୟା

ନୀଳଗିରିଙ୍କ ଛାଡ଼ି, ନନ୍ଦିଘୋଷରେ ଚଢ଼ି

ନବୀନ ଘରଣୀ ଛାଡ଼ି କି ମୁଖ କଢ଼ି ।୧୦।

 

ଟାଣୁଛନ୍ତି ଗଜପତି ଆପଣେ ରଥ

ଟଳଟଳ ହେଉଛନ୍ତି ଶ୍ରୀ ଜଗନ୍ନାଥ

ଟେକି ଚାହାଁ ଶ୍ରୀମୁଖ, ଦେଖି ଖଣ୍ଡିବ ଦୁଃଖ

ଟାକିଲେ ଖଣ୍ଡିବ କୋଟି ଜନ୍ମର ଦୁଃଖ ।୧୧।

 

ଠାକୁରପଣକୁ କିସ ଦେବା ଉପମା

ଠକଙ୍କର ଗୁରୁ ଏଡ଼େ ନାହିଁ ବଡ଼ିମା

ଠକି ଗୋପରୁ ଗଲେ, ପୁନରପିନଇଲେ

ଠାକୁର ହୋଇଣ ଏବେ ରଥେ ଚଢ଼ିଲେ ।୧୨।

 

 

ଡିଙ୍ଗର ଗଉଡ଼େ ତାଙ୍କର ବଡ଼ ହିଁ ମିତ୍ର

ଡେଇଁ କାଳିନ୍ଦୀରେ ଏହୁ କଲେନା ନୃତ୍ୟ

ଡରେ ପକାଇଗଲେ, ଗୋପେ ଲୁଚି ଯେ ଥିଲେ

ଡରଭୟେ ଛାଡ଼ି ଏବେ ରଥେ ଚଢ଼ିଲେ ।୧୩।

 

ଢୋଲ ତାଳ ନାନା ବାଦ୍ୟ କେ କହୁ ଜାଣି

ଢେରିକେ କରିବ ଏଡ଼େ ଲୋକକୁ ଆଣି

ଢଳହଳ ଶ୍ରୀମୁଖ, ଦେଖି ଖଣ୍ଡିବ ଦୁଃଖ

ଢାଙ୍କୁଣି ଫେରିଣ କି କେ ରଥେ ନ ଦେଖ ।୧୪।

 

ଆସିଛନ୍ତି ଅନନ୍ତ ସେ ନାଗନ୍ତ ମିଳି

ଅଶେଷ ବ୍ରହ୍ମାଣ୍ଡନାଥ ଯହିଁରେ ମିଳି

ଆଉ ନ ହୋଇବ ଦେହ, ଏଡ଼େ ଯାତ୍ରା ସୁଲଭ

ଏଡ଼େ ଜନ୍ମ ଯାଉଅଛି କି କେ ନ ଲଭ ।୧୫।

 

ତିନିରଥ ଯାଉଛନ୍ତି ତ୍ରୈଲୋକ୍ୟ ଜିଣି

ତିନିଗୁଣ ଅବତାର ତିନିଗଉଣୀ

ତାତେ ରହିଣ ଦେଖ, ତାଙ୍କ ପଙ୍କଜ ମୁଖ

ତିନିଜନ୍ମର ଯେ ଛଡ଼ାଅ ପାପ ଦୁଃଖ ।୧୬।

 

 

ଥାପିଲେ ଉଗ୍ରସେନକୁ କରିଣ ରାଜା

ଥକି ବଳଗଣ୍ଡି ଠାରେ ଘେନିଲେ ପୂଜା

ଥୟେ କର ହୋ ମନ, ପାଦେ ପଶ ଶର ଶରଣ

ଥମ୍ବରୁ ବାହାର ଏହୁ ମନରେ ଘେନ ।୧୭।

 

ଦାନସାଧି ବୁଲୁଥିଲେ ଦରିଦ୍ରପଣେ

ଦେଉଳ ଛାଡ଼ିଲେ ଏବେ କିସ କାରଣେ

ଦୁଃଖ ତୋ ମନକର, ଦେଖ ବଳଗଣ୍ଡିର

ଦୟାନିଧି ଯାଉଛନ୍ତି ଗୁଣ୍ଡିଚାଘର ।୧୮।

 

ଧନୁ ଧରି ବୁଲୁଥିଲେ ବ୍ରାହ୍ମଣପଣେ

ଧରିଣ ଛେଦିଲେ କ୍ଷତ୍ରି ଏହି ଆପଣେ

ଧୀରେ ଧୀରେଣ ହରି, ରଥୁ ବିଜୟ କରି

ଧୀରେ ଧୀରେ ବିଜେକଲେ ଶ୍ରୀ ନୀଳଗିରି ।୧୯।

 

ନବଦିନ ନାନାବିଧ ନୁହଇ କହି

ନବରେ ମିଳିଲେ ଲକ୍ଷ୍ମୀ ଦଣ୍ଡିବାପାଇଁ

ନିଜ ସେବକ ବଳ, କରୁଛନ୍ତି ଚହଳ

ନନ୍ଦିଘୋଷ ଭାଙ୍ଗୁଛନ୍ତି କରିଣ ଗୋଳ ।୨୦।

 

 

ପିଟାପିଟି ହେଉଛନ୍ତି ପହଣ୍ଡି ବେଳେ

ପେଲିପଶି ଦେଖୁଛନ୍ତି କେ ବାହୁବଳେ

ପ୍ରଭୁ ଉଠିଲେ ରଥେ, ତିନିଜଣେ ସହିତେ

ପୀତାମ୍ବର ପରିଧାନ ପଣ୍ଡା ସଙ୍ଗତେ ।୨୧।

 

ପୂରିଛନ୍ତି ଶଙ୍ଖଧ୍ୱନି ଅତି ସୁବେଶ

ଫୁଲି ଫୁଲି ଚାଲିଛନ୍ତି କଳା ଶ୍ରୀମୁଖ

ଫାନ୍ଦେ ପଡ଼ୁଛନ୍ତି ମନ, ଫିଟି କର ଦର୍ଶନ

ଫିଟିଯିବ କୋଟି କୋଟି ଜନ୍ମ ବନ୍ଧନ ।୨୨।

 

ବାସୁଦେବ ବୈକୁଣ୍ଠ ଶ୍ରୀ ବନମାଳୀ

ବିକ୍ରମେ ବାମନ ଚାପି ପାତାଳେ ବଳୀ

ବୀରବରଙ୍କ କର, ବିଜେ ନନ୍ଦିଘୋଷର

ବହିଣୀ ସୁଭଦ୍ରା ଭାଇ ଲଙ୍ଗଳଧର ।୨୩।

 

ଭାବଗ୍ରାହୀ ଭଗବାନ ଭୟ ଭଞ୍ଜନ

ଭାରତ ସଭାରେରଖ ଦ୍ରୌପଦୀ ମାନ

ଭକ୍ତି ଭାବରେ ବଶ, ଭକ୍ତ ଜନେ ବିଶ୍ୱାସ

ଭୁଞ୍ଜିଲେ ବିଦ୍ୟୁର ଘରେ ଯେ ଷଡ଼ରସ ।୨୪।

 

 

ମାର୍କଣ୍ଡ ଗର୍ଭରେ ଖୋଜି ନ ପାଇ ଅନ୍ତ

ମାଟି ଖାଉ ଯଶୋଦା ଦେଖିଲେ ସମସ୍ତ

ମିତ୍ର ବ୍ରାହ୍ମଣ ପୟର, ଧରି କମଳାବର

ମୁଠିଏ ତଣ୍ଡୁଳ ଖାଇ ତାଙ୍କୁ ଦେଲେ ଅପାର ।୨୫।

 

ଜଗତ ଈଶ୍ୱର ଯୋଗୀ ଜଙ୍ଗମ ଘେନି

ଯାଉଛନ୍ତି ଧୀରେ ଧୀରେ କମ୍ପେ ମେଦିନୀ

ଜାହ୍ନବୀ ନଦୀ ଯାର, ପଦ୍ମପାଦୁ ବାହାର

ଯାମଳାକୁ ଭାଞ୍ଜିଛନ୍ତି ଏହି ଠାକୁର ।୨୬।

 

ରାଜୁସି ଯାଗରେ ଏହୁ ଡଗର ଥିଲେ

ରାବଣ ମାରିଣ ଲଙ୍କା ଗଡ଼ ଜିଣିଲେ

ରଥେ ପ୍ରବେଶ ହୋଇ, ସିଂହ ଦ୍ୱାରେଣ ରହି

ରତ୍ନ ସିଂହାସନେ ଛନ୍ତି କମଳା ଦେଇ ।୨୭।

 

ଲଲାଟ ପଟିରେ ଚିତା ଅତି ସୁନ୍ଦର

ଲମ୍ବିଛନ୍ତି ହୃଦେ ହାର ଅମୂଲ୍ୟ ସାର

ଲକ୍ଷ୍ମୀ ଦେବୀଙ୍କ ବାଣୀ, ଲାଜେ ତିନି ପରାଣୀ

ଲେଉଟି ତ ଯାଅ ନୂଆ ଘରଣୀ ଘେନି ।୨୮।

 

 

ବୀରପଣେ ମାରୁଥିଲେ ମଲ୍ଲ ମାହୁନ୍ତ

ବଟପୁଟେ ଭାସୁଥିଲେ ଏହି ସାଆନ୍ତ

ବରୁଣ ବନ୍ଧନୀ ଛାଡ଼ି ଶ୍ରୀ ଚକ୍ରପାଣି

ବହିଣୀକି ଘେନି ରାଜ ନୁହଇ ଗଣି ।୨୯।

 

ଶ୍ରୀପୁରୁଷାତ୍ତମ ବୋଲି ଯାହାର ନାମ

ଶ୍ରୀୟାଙ୍କୁ ଛାଡ଼ିଲେ କିସ ପାଇଁ ଉତ୍ତର

ସତ୍ୟ ଯୁଗରେ ହରି, ଶଙ୍ଖାସୁରକୁ ମାରି

ସୃଷ୍ଟି ପାଳିବାର ପାଇଁ ବେଦ ଉଦ୍ଧରି ।୩୦।

 

ସାତ ଯୋଜନରେ ଗଜ ଡାକିଲା ହରି

ସତ୍ୟଭାମା ସ୍ନେହ ଛାଡ଼ି କୁମ୍ଭୀକି ମାରି

ସେହି ରୂପଟି ଏହି, ସିଂହଦ୍ୱାରେଣ ରହି ।୩୧।

 

ସକଳ ଦେବତା ଶିରେ ଯୋଡ଼ିଲେ କର

ସନ୍ତୋଷ କରିଣ ଦେଲେ ପ୍ରଭୁଙ୍କ ଘର

ଶଙ୍ଖ ଶବଦ ପୂରି, ରଥୁ ବିଜୟେ କରି

ସଧୀରେ ସଧୀରେ ବିଜେ ଶ୍ରୀ ନୀଳଗିରି ।୩୨।

 

 

 

ହରଷ ହୋଇଣ ହରି ହଳୀ ପଛର

ହଳଦୀମୁହୀଁ ଡରେ ଘେନି ମଧ୍ୟର

ହରିଶବଦ ନାଦ, ତିନିପୁରେ ଆନନ୍ଦ

ହରିଙ୍କର ଘରେ ସୁଖ ଭାଜିଲା ଦ୍ୱନ୍ଦ୍ୱ ।୩୩।

 

କ୍ଷିତି ମଧ୍ୟେ ଏତେ ଯାତ୍ରା ନାଇଁ ନୋହିବ

କ୍ଷଣେ ମାତ୍ର ରଥେ ଦେଖି ନିସ୍ତରି ଯିବ

କ୍ଷୁଦ୍ର ବୁଦ୍ଧି ମୋହର, ବିପ୍ର କାଶୀ ପାମର

କ୍ଷମା ନିଧି ପଦ୍ମ ପାଦେ ଶରଣ ମୋର ।୩୪।

 

ଭାବାର୍ଥ - (୧-୫) ଯୁଗଯୁଗ ଧରି ପ୍ରଭୁ ଜଗନ୍ନାଥ ଠାକୁର ନୀଳକନ୍ଦରରେ ବାସ କରିଛନ୍ତି । କଳ୍ପବଟ ତଳେ ତାଙ୍କର ଘର । କରୁଣାସାଗର ସେ । ଗୁଣ୍ଡିଚା ଯାତ୍ରାଦିନ ବଡ଼ ଦାଣ୍ଡକୁ ଓହ୍ଲାଇ ଆସିବେ । ହସ୍ତପ୍ରସାରି ଲୋକଙ୍କୁ କୋଳେଇ ନେବେ । ଅଶେଷ ବ୍ରହ୍ମାଣ୍ଡର ନାଥ ଜଗନ୍ନାଥ, ତାଙ୍କ ପାଦ ତଳେ ଦେବତା, ନାଗ, ନର, ଯକ୍ଷ, କିନ୍ନର, ଗରୁଡ଼ ଖଟୁଛନ୍ତି । ପ୍ରଭୁଙ୍କର ସୁବେଶ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । କ୍ଷଣକ୍ଷଣକେ ହରିଶବ୍ଦରେ ବଡ଼ ଦାଣ୍ଡ ପ୍ରକମ୍ପିତ ହେଉଛି । ଠାକୁରଙ୍କ ରଥରେ ହୀରାମୋତି, ପୋହଳାକୁ କାରିଗରମାନେ ଖଞ୍ଜୁଛନ୍ତି । ଗୁଣ୍ଡିଚା ଉତ୍ସବ ପାଇଁ ଲୋକଙ୍କର ଗହଳଚହଳ ଲାଗିଛି । ଗଜଦନ୍ତ ପଲଙ୍କରେ ବସି ଗଜପତି ରଥ ଉପରକୁ ଆସିବେ । ଗଜମୁକ୍ତା ଝରା, ମାଣିକ୍ୟ, ହୀରା ବିଶ୍ଵକର୍ମା ଗଢୁଛନ୍ତି । ସେ ସବୁ ରଥରେ ଲାଗିବ । ଜଗନ୍ନାଥ ସଙ୍ଗରେ ଭାଇ ଭଉଣୀଙ୍କୁ ନେଇ ରଥ ଉପରେ ବିଜେ କଲେ । ନିଜ ଘର, ଘରଣୀ ଲକ୍ଷ୍ମୀଙ୍କୁ ଛାଡ଼ି ପ୍ରଭୁ ନନ୍ଦିଘୋଷରେ ଚଢ଼ିଲେ । ରତ୍ନସିଂହାସନ, ଘର ଭୋଗକୁ ଏଡ଼ାଇ ଦେଲେ । ଠାକୁର ଅନ୍ଧାର (କୃଷ୍ଣ) ପକ୍ଷରେ ଅଣସରରେ ରହିଲେ । ଜ୍ଵରରେ ପନ୍ଦରଦିନ ଯାଏ ପଡ଼ି ଶୋଇ ରହିଲେ । ଜଗତର ଠାକୁର ସେ । ଅନାଦି ଅନନ୍ତ । ମହିମା ତାଙ୍କର ଅସୀମ, ଅପାର, ସେ ହିଁ ଅହଲ୍ୟାକୁ ତାରିଛନ୍ତି ।

 

ଭାବାର୍ଥ - (୬-୧୦) ଚତୁରମାନଙ୍କ ମଧ୍ୟରେ ଗୁରୁ ସିଏ । ଅତି ଛଟକରେ ଚୋରାଇ ଆଣିଲେ, ଚକ୍ରରେ ତା’ ଭାଇକୁ ବଧକଲେ । ବଡ଼ ଦାଣ୍ଡରେ ଗହଳ ଚହଳ ସହିତ ହରିଧ୍ଵନି ଶୁଭୁଛି । ଛତ୍ରପତି ଛତିଶା ନିଯୋଗକୁ ସଙ୍ଗରେ ନେଇ ନୀଳଗିରି ନାଥ ଜଗନ୍ନାଥଙ୍କ ପୂଜା, ରୀତିନୀତି କାର୍ଯ୍ୟ କଲେ । ହରିଶବ୍ଦ ଗୋଳରେ ନୀଳାଚଳ ଧାମ ପ୍ରକମ୍ପିତ ହେଲା । ପ୍ରଭୁଙ୍କ ଶ୍ରୀମୁଖ ଦେଖି ଲୋକଙ୍କ ଚର୍ମଚକ୍ଷୁ ପବିତ୍ର ହେଲା । ପଭୁ ଜଗନ୍ନାଥ ହେଉଛନ୍ତି ଜଗତର ପତି, ଜଗତର ବନ୍ଧୁ । ଜରାସନ୍ଧକୁ ସେ ବଧ କରାଇଲେ । ଯୋଗୀଜନମାନେ ତାଙ୍କୁ ଜପ, ତପ କରି ଜଗତର ପାପତାପରୁ ଉଦ୍ଧାର ପାଇଛନ୍ତି । କବି ଲୋକମାନଙ୍କୁ ନିବେଦନ ଜଣାଉଛନ୍ତି - ହେ ଭକ୍ତବୃନ୍ଦ, ଜଗନ୍ନାଥଙ୍କୁ ରଥ ଉପରେ ଦର୍ଶନ କଲେ ସକଳ ପାପରୁ ମୁକ୍ତି ମିଳିବ । ପାପପଙ୍କରୁ ଉଦ୍ଧାର ପାଇବ ।

 

ପ୍ରଭୁ ହେଉଛନ୍ତି ଝାଡ଼ (ବଣ) ବିନୋଦିଆ, ଝଗଡ଼ିଆଙ୍କ ଗୁରୁ । ଘର ଭିତରେ ଝଗଡ଼ା ଲଗାଇ ଦେଇ ନୀଳକନ୍ଦରରୁ ବାହାରି ଗଲେ । (ପ୍ରଭୁ ଭାଇଭଉଣୀଙ୍କୁ ସଙ୍ଗରେ ନେଇ ରଥକୁ ଯିବା ଯୋଗୁଁ ମା’ ଲକ୍ଷ୍ମୀ କୋପ କରିଛନ୍ତି ସ୍ଵାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ଲାଗିଛି ।) ରେ ଭକ୍ତ, କ୍ଷଣେ କାଳ ରହି ତାଙ୍କ କଳାପଙ୍କଜ ମୁଖକୁ ନିରୀକ୍ଷଣ କର । ଯାହାଙ୍କୁ ଦେଖିବା ପାଇଁ ତିନି ଭୁବନର ଲୋକ ଭୋକ, ଶୋଷ ଭୁଲି ରହିଛନ୍ତି, ତାଙ୍କୁ ଭକ୍ତିମାର୍ଗରେ ନିଜକୁ ବାନ୍ଧିଦେ ସବୁ ପାପରୁ ନିସ୍ତରିଯିବୁ । ପ୍ରଭୁ ଜଣନ୍ନାଥଙ୍କ ଆଦି ଅନ୍ତ ନାହିଁ । ତାଙ୍କର ଅଶେଷ ମହିମା । ତାଙ୍କରି ମାୟାରେ ସମଗ୍ର ଜଗତ ବନ୍ଧା । ସେ ମାୟାଧର ନ ହୋଇଥିଲେ, ଘରେ ନବଯୁବତୀ ଘରଣୀ ଛାଡ଼ି, ନୀଳଗିରିରୁ ବାହାରି ବଡ଼ଦାଣ୍ଡକୁ ଓହ୍ଲାଇ ନନ୍ଦିଘୋଷ ରଥ ଉପରେ ଚଢ଼ିଥା’ନ୍ତେ ? ଜଗତଜନଙ୍କ ପାଖରେ ଠିଆ ହୋଇଥା’ନ୍ତେ ? କେଡ଼େ ସୁନ୍ଦର ମୁଖମଣ୍ଡଳ ତାଙ୍କର !

 

ଭାବାର୍ଥ- (୧୧-୧୬) ପ୍ରଭୁଙ୍କ ନନ୍ଦିଘୋଷ ରଥକୁ ସ୍ୱୟଂ ଗଜପତି ଟାଣୁଛନ୍ତି । ଭକ୍ତମାନଙ୍କ ହାତରେ ରଥର ଦଉଡ଼ି । ରଥ ଗଡ଼ିବାରୁ ଠାକୁର ଟଳଟଳ ହେଉଛନ୍ତି । ରେ ଭକ୍ତଜନ, ତାଙ୍କ କଳା ଶ୍ରୀମୁଖକୁ ଚକ୍ଷୁ ଟେକି ଚାହାଁ, ତୋର ସକଳ ଦୁଃଖ ଦୂର ହେବ । ଜଗନ୍ନାଥଙ୍କ ଠାକୁର ପଣକୁ କ’ଣ ବା ଉପମା ଦେବା ? ଏତେ ପୁଣି ସେ ଠକଙ୍କର ଗୁରୁ, ଗୋପୀମାନଙ୍କୁ ଠକି ଗୋପରୁ ଯାଇ ଆଉ ଫେରିଲେ ନାହିଁ । ଠାକୁର ହୋଇ ଘର ଭିତରେ ସ୍ତ୍ରୀକୁ ଠକିଲେ । ଏବେ ରଥରେ ଚଢ଼ିଛନ୍ତି । ମୂର୍ଖ, ନୀଚ ଗଉଡ଼ମାନେ ତାଙ୍କର ବଡ଼ ମିତ୍ର, କାଳିନ୍ଦୀ ଜଳରେ ଡେଇଁ କାଳୀୟ ସର୍ପର ମଥା ଉପରେ ନୃତ୍ୟ କଲେ । ଡରରେ ପଳାଇ ଯାଇ ଲୁଚିଥିଲେ, ଏବେ ରଥରେ ଚଢ଼ିଛନ୍ତି ।

 

ଢୋଲ, ତାଳ, ମର୍ଦ୍ଦଳରେ ଶ୍ରୀକ୍ଷେତ୍ର ପ୍ରକମ୍ପିତ ହେଉଛି । ଏତେ ବନ ଲୋକ ଦାଣ୍ଡକୁ ଆସିଛନ୍ତି । ତାଙ୍କୁ ନ ଦେଖ୍ ଗଲେ ମନ ମଧ୍ୟରେ ଅବସୋସ ରହିଯିବ । ପ୍ରଭୁଙ୍କ ସୁନ୍ଦର କମନୀୟ ଢଳଢଳ ଶ୍ରୀମୁଖ ଦେଖିଲେ ମନୁଷ୍ୟର ଜନ୍ମଜନ୍ମର ପାପ ଦୂର ହେବ, ଦୁଃଖ ଖଣ୍ଡିତ ହେବ । ମନ ମଧ୍ୟରେ କଳଙ୍କ ରଖି ରଥ ଉପରେ ଜଗନ୍ନାଥଙ୍କୁ ଦେଖନାହିଁ, ଅନନ୍ତ ପ୍ରଭୁ ଜଗନ୍ନାଥ ଅଶେଷ ବ୍ରହ୍ମାଣ୍ଡର ଠାକୁର ସଙ୍ଗରେ ତାଙ୍କର ବଡ଼ଠାକୁର ବଳରାମ । ତାଙ୍କୁ ନୟନ ପୂରାଇ ଦେଖ, ଜୀବନ ସଫଳ ହେବ । ଏ ପବିତ୍ର ଗୁଣ୍ଡିଚା ଯାତ୍ରାକୁ ଯିଏ ନ ଦେଖିବ, ମନୁଷ୍ୟ ଜନ୍ମ ପାଇ ତା’ର କ’ଣ ଲାଭ-? ତିନିରଥ ବଡ଼ଦାଣ୍ଡରେ ଘର୍ଘର ନାଦ କରି ଆଗକୁ ମାଡ଼ି ଚାଲିଛି । ତିନିଲୋକକୁ ଜାରି ରଥ ଯେମିତି ଗଡୁଛି । ସତ୍ତ୍ୱ, ରଜ, ତମ- ଏହି ତିନି ଗୁଣକୁ ନେଇ ତିନି ଠାକୁର ଠାକୁରାଣୀ ଧରାପୃଷ୍ଠରେ ଅବତାର ନେଇଛନ୍ତି । ରଥ ପାଖରେ ରହି ତାଙ୍କ ପଙ୍କଜମୁଖକୁ ନିରେଖି ଦେଖ, ତିନି ଜନ୍ମର ପାପଦୁଃଖ ଦୂର ହେବ ।

 

ଭାବାର୍ଥ (୧୭-୨୧) ଏଇ ଠାକୁରଙ୍କ କେତେ ଯେ ମହିମା, କିଏ ବର୍ଣ୍ଣି ପାରିବ ? କଂସକୁ ବଧ କରି ମଥୁରା କଟକରେ ଉଗ୍ରସେନଙ୍କୁ ରାଜା କରାଇଛନ୍ତି । ରଥ ଗଡ଼ି ଚାଲିଛି । ବଳଗଣ୍ଡି ଠାରେ କିଛି ସମୟ ପାଇଁ ରଥ ଅଟକିଲା । ଲୋକମାନଙ୍କର ପୂଜା, ଆରାଧନା, ହରିଧ୍ୱନି, ହୁଳହୁଳିରେ ସେ ସ୍ଥାନଟି ଉଛୁଳି ପଡ଼ିଲା । ରେ ଭକ୍ତଜନ, ତୋ ମନକୁ ଥୟ କର । ତାଙ୍କ ପାଦପଦ୍ମରେ ଶରଣ ପଶ । ନରସିଂହ ରୂପରେ ସ୍ତମ୍ଭରୁ ବାହାରି ହିରଣ୍ୟକଶ୍ୟପକୁ ସଂହାର କରିଥିଲେ ଭଗବାନ । ପ୍ରଭୁଙ୍କୁ ଏହି ରୂପରେ ମନ ମଧ୍ୟରେ ଘେନ । ଲକ୍ଷ୍ମୀଛଡ଼ା ହୋଇ ଦୁଇଭାଇ ଦରିଦ୍ରପଣରେ ବୁଲୁଥିଲେ । ଏବେ କାହିଁକି ଦେଉଳ ଛାଡ଼ିଛନ୍ତି କେଜାଣି ? ମନ ମଧ୍ୟରୁ ଦୁଃଖ ଦୂର କର, ବଳଗଣ୍ଡିଠାରେ ରଥ ଅଟକିଛି, ସେଠାରେ ପ୍ରଭୁଙ୍କୁ ମନଭରି ଦର୍ଶନ କର । ଦୟାନିଧି କୃଷ୍ଣ ଗୁଣ୍ଡିଚାଘରକୁ ଚାଲିଯିବେ ।

 

ପର୍ଶୁରାମ ବ୍ରାହ୍ମଣ ହୋଇ ହାତରେ ଧନୁ ଧରୁଥିଲେ । କ୍ଷତ୍ରିୟମାନଙ୍କୁ ଏକୋଇଶିବାର ବିନାଶ କଲେ । ତାଙ୍କରି ଗର୍ବକୁ ପ୍ରଭୁ ରାମଚନ୍ଦ୍ର ଖର୍ବ କରିଥିଲେ । ଧୀରେ ଧୀରେ ପ୍ରଭୁ ରଥରେ ବସି ପୁଣି ନୀଳଗିରିକୁ ଫେରୁଛନ୍ତି । ନବଦିନର ନାନାବିଧ ଯାତ୍ରାକୁ ବର୍ଣ୍ଣନା କରିହେବ ନାହିଁ । ନଅରକୁ ଫେରିବା ପରେ ଲକ୍ଷ୍ମୀ ଆସିଛନ୍ତି ତାଙ୍କ ସହିତ କଳି କରିବାକୁ । ତାଙ୍କ ସହିତ ସେବକ, ପରିଚାର ଆସି ଗହଳଚହଳ କଲେ । ଗୋଳ କରି ସେମାନେ ନନ୍ଦିଘୋଷ ରଥକୁ ଭାଙ୍ଗିଲେ । ପ୍ରଭୁଙ୍କ ପହଣ୍ଡି ବେଳେ ଭକ୍ତମାନେ ପିଟାପିଟି ହେଉଛନ୍ତି । କେହି ବାହୁବଳ ଦେଖାଇ ପେଲି ପଶି ଦେଖୁଛି । ପ୍ରଭୁ ତିନିଜଣ ବଳରାମ, ସୁଭଦ୍ରା, ସୁଦର୍ଶନ ଓ ହଳଦିଆ ବସ୍ତ୍ର ପରିହିତ ପଣ୍ଡାଙ୍କ ସହିତ ରଥ ଉପରକୁ ଉଠିଲେ ।

 

ଭାବାର୍ଥ (୨୨-୨୭) ଶଙ୍ଖଧ୍ୱନି, ହରିବୋଲ, ହୁଳହୁଳି ନାଦରେ ବଡ଼ଦାଣ୍ଡ ମୁଖରିତ ହେଉଛି । ପ୍ରଭୁକଳାଶ୍ରୀମୁଖ ଫୁଲି ଫୁଲି ଚାଲିଛନ୍ତି । ରେ ମନ, ସ୍ଥିର ମନରେ ତୁ ପ୍ରଭୁଙ୍କୁ ଦର୍ଶନ କର-। କୋଟି କୋଟି ଜନ୍ମର ବନ୍ଧନ ଫିଟିଯିବ । ପାପ କ୍ଷୟ ଯିବ । ସେ ବାସୁଦେବ ବୈକୁଣ୍ଠବିହାରୀ, ଶ୍ରୀବନମାଳୀ । ପଞ୍ଚମ ଅବତାରରେ ବାମନ ହୋଇ ବଳୀକୁ ପାତାଳରେ ଚାପି ଦେଇଥିଲେ । ଭାଇ ବଳରାମ, ଭଉଣୀ ସୁଭଦ୍ରାଙ୍କୁ ନେଇ ଏବେ ପ୍ରଭୁ ଜଗନ୍ନାଥ ଧରାପୃଷ୍ଠକୁ ରଥରେ ବସି ବିଜେ କରିଛନ୍ତି । ପ୍ରଭୁ ଜଗନ୍ନାଥ ହେଉଛନ୍ତି ସ୍ୱୟଂ ଭଗବାନ, ଭାବଗ୍ରାହୀ ସେ, ଭୟ ଭଞ୍ଜନକାରୀ । କୁରୁସଭା ତଳେ ଦୁଷ୍ଟ ଦୁଃଶାସନ ଦ୍ରୌପଦୀଙ୍କ ବସ୍ତ୍ର ହରଣ କରୁଥିବା ବେଳେ ତାଙ୍କୁ କୋଟିବସ୍ତ୍ର ପ୍ରଦାନ କରି ତାଙ୍କ ମାନ ରଖିଲେ । ଭକ୍ତି ଭାବରେ ସେ ବନ୍ଧା, ଭକ୍ତର ଅଧୀନ । ଭକ୍ତ ଜନରେ ତାଙ୍କର ବିଶ୍ୱାସ । ଭକ୍ତ ତାଙ୍କର ପ୍ରିୟ, ପ୍ରାଣ । ଦୁର୍ଯ୍ୟୋଧନ କେତେ ପରି ଡାକିଲା କୃଷ୍ଣଙ୍କୁ ଭୋଜନ ପାଇଁ । ଭକ୍ତର ଠାକୁର ସେ ଦୁର୍ଯ୍ୟୋଧନ ଘରକୁ ନ ଯାଇ ଭକ୍ତ ମହାତ୍ମା ବିଦୁରଙ୍କ ଘରେ ଭୋଜନ କଲେ ।

 

ଭଗବାନଙ୍କ ଆଦି ଅନ୍ତ ନାହିଁ । ସେ ଏଇଠି ଅଛନ୍ତି, ଏଇଠି ନାହାନ୍ତି । ମୁନିଋଷିମାନେ ତାଙ୍କୁ ଖୋଜି ଖୋଜି ନୟାନ୍ତ ହୋଇଗଲେଣି । କୃଷ୍ଣ ମାଟି ଖାଇଥା’ନ୍ତି । ତାଙ୍କୁ ଆଁ କରିବାକୁ କହିଲେ ମାତା ଯଶୋଦା । କୃଷ୍ଣ ଆଁ କଲେ, ତା’ ଭିତରେ ସମଗ୍ର ବିଶ୍ୱବ୍ରହ୍ମାଣ୍ଡକୁ ଦେଖିଲେ ଯଶୋଦା । ସୁଦାମା ମିତ୍ର, ତାଙ୍କ ପାଦ ଧୋଇଲେ ଶ୍ରୀକୃଷ୍ଣ । ସୁଦାମାଙ୍କ ହାତରୁ ମୁଠାଏ ଖୁଦ ଖାଇ ତାଙ୍କୁ ଅପାର ସମ୍ପତି ପ୍ରଦାନ କଲେ । ଜଗତ ଈଶ୍ଵର ସେ । ସଙ୍ଗରେ ଯୋଗୀ, ଭୋଗୀ, ଜଙ୍ଗମ- ସଭିଙ୍କୁ ନେଇ ରଥ ଉପରେ ବସି ପ୍ରଭୁ ଧୀରେ ଧୀରେ ଯାଉଛନ୍ତି । ଗତିଶୀଳ ରଥ ଶବ୍ଦରେ ମେଦିନୀ କମ୍ପି ଉଠୁଛି । ଯାହାଙ୍କ ପଦ୍ମପାଦରୁ ଗଙ୍ଗା ନଦୀ ସୃଷ୍ଟି ହୋଇଛି । ଯିଏ ଯାମଳା ଅର୍ଜୁନ ବୃକ୍ଷକୁ ପାଦରେ ଭାଙ୍ଗିଛନ୍ତି, ତାଙ୍କର ମହିମାକୁ କିଏ ବର୍ଣ୍ଣନା କରିପାରିବ ? ଯୁଧିଷ୍ଠିରଙ୍କ ଦ୍ୱାରା ଆହୂତ ରାଜସ୍ୱୟ ଯଜ୍ଞରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଡଗର ଥିଲେ । ରାବଣକୁ ବଧ କରି ଲଙ୍କାକୁ ଜିଣିଲେ । ମାତା ସୀତାଙ୍କୁ ସେଠାରୁ ଉଦ୍ଧାର କଲେ । ପ୍ରଭୁ ଜଗନ୍ନାଥ ରଥ ଉପରେ ବସି ରତ୍ନ ସିଂହାସନକୁ ପୁଣି ବିଜେ କରିବେ ।

 

ଭାବାର୍ଥ - (୨୮-୩୪) ପ୍ରଭୁଙ୍କ ଲଲାଟ ପଟରେ ଚିତା ଖୁବ୍ ସୁନ୍ଦର ଦେଖାଯାଉଛି । ହୃଦ ଦେଶରେ ଅମୂଲ୍ୟ ରତ୍ନ ହାର ଲମ୍ବିଛି । ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଯେମିତି ନଅର ମଧ୍ୟରେ ପ୍ରବେଶ କରିଛନ୍ତି, ଲକ୍ଷ୍ମୀ ଦେବୀ କୋପରେ ଗର୍ଜନ କଲେ- ତିନି ଜଣଯାକ ଏଇଠୁଁ ଲେଉଟି ଯାଅ । ଜଗନ୍ନାଥଙ୍କୁ ଲକ୍ଷ୍ୟ କରି କହିଲେ, ତୁମକୁ ଲାଜ ଲାଗୁନି ? ନୂଆ ଘରଣୀକୁ ସଙ୍ଗରେ ନେଇଯାଅ । ଭଗବାନଙ୍କ ମହିମା ଅପାର, ଅଶେଷ । ବୀର ପଣରେ ଅନେକ ମଲ୍ଲ, ମାହୁନ୍ତଙ୍କୁ ବଧ କରିଛନ୍ତି । ବଟପତ୍ରରେ ଦିନେ ସେ ଭାସୁଥିଲେ । ଲକ୍ଷ୍ମୀଙ୍କୁ ଛାଡ଼ି ଭଉଣୀକୁ ସଙ୍ଗରେ ନେଇ ଯାତ୍ରା କରିଥିବାରୁ ଜଗନ୍ନାଥ ସ୍ତ୍ରୀଙ୍କ ଠାରୁ ଭର୍ତ୍ସନା ଶୁଣିଲେ । ଶ୍ରୀପୁରୁଷୋତ୍ତମ ତାଙ୍କର ନାମ, ପୁରୁଷଙ୍କ ମଧ୍ୟରେ ଉତ୍ତମ । ଲକ୍ଷ୍ମୀଙ୍କୁ କାହିଁକି ଛାଡ଼ିଲେ ? ସତ୍ୟଯୁଗରେ ଭଗବାନ ବିଷ୍ଣୁ ସୃଷ୍ଟି ରକ୍ଷା ଉଦ୍ଦେଶ୍ୟରେ ଶଙ୍କାସୁରକୁ ବଧ କରି ବେଦ ଉଦ୍ଧାର କରିଥିଲେ । କୁମ୍ଭୀର ମୁଖରୁ ଉଦ୍ଧାର ପାଇବାକୁ ଗଜ ସାତ ଯୋଜନ ଦୂରରୁ ପ୍ରଭୁଙ୍କୁ ଡାକ ଦେଲା । ସେତେବେଳକୁ ପ୍ରଭୁ ସତ୍ୟଭାମାଙ୍କ ସହ ପଶା ଖେଳୁଥିଲେ । ଗଜର ଆର୍ତ୍ତ ଚିତ୍କାର ତାଙ୍କୁ ଅସ୍ତବ୍ୟସ୍ତ କଲା । ସେ “ରଖିଲି’ ‘ରଖିଲି’ କହି ଚକ୍ର ପେଶିଲେ । କୁମ୍ଭୀରକୁ ନାଶ କରି ଗଜକୁ ଉଦ୍ଧାର କଲେ । ଏଇ ସେଇ ଠାକୁର, ଏବେ ସିଂହଦ୍ୱାରରେ ବିଜେ କରିଛନ୍ତି ।

 

ସବୁ ଦେବତା ମଥାପାତି ତାଙ୍କୁ ପ୍ରଣିପାତ କଲେ । ସନ୍ତୋଷ ଚିତ୍ତରେ ପ୍ରଭୁଙ୍କୁ ବରଣ କଲେ । ଶଙ୍ଖ, କାହାଳୀ, ଘଣ୍ଟ ନାଦରେ ସିଂହଦ୍ୱାର ନିନାଦିତ ହେଉଛି । ରଥରୁ ଓହ୍ଲାଇ ଧୀର ଗତିରେ ପ୍ରଭୁ ଭାଇ, ଭଉଣୀଙ୍କୁ ସଙ୍ଗରେ ନେଇ ଶ୍ରୀ ନୀଳଗିରିରେ ବିଜେ ହେଲେ । ଭାଇ ଭଉଣୀ ତିନି ହେଁ ହର୍ଷ ମନରେ ଦେଉଳ ମଧ୍ୟରେ ପ୍ରବେଶ କରୁଛନ୍ତି । ଆଗେ ଆଗେ ବଡ଼ଭାଇ ବଳରାମ, ମଝିରେ ଭଉଣୀ ସୁଭଦ୍ରା ପଛରେ ଜଗନ୍ନାଥ । ହରିଶବ୍ଦ ନାଦରେ ତିନିପୁର କମ୍ପୁଛି- ଆନନ୍ଦରେ ସମସ୍ତେ ନାଚୁଛନ୍ତି । ଜଗନ୍ନାଥ-ଲକ୍ଷ୍ମୀଙ୍କ କଳହ ଆଉ ନାହିଁ । ଜଗତ ମଧ୍ୟରେ ଏତେ ବଡ଼ ଯାତ୍ରା କେବେ ହୋଇନାହିଁ କି ହେବ ନାହିଁ । ହେ ଭକ୍ତବୃନ୍ଦ, କ୍ଷଣେମାତ୍ର ରହି ରଥ ଉପରେ ପ୍ରଭୁଙ୍କୁ ଦର୍ଶନ କର, ସବୁ ପାପରୁ ନିସ୍ତାର ପାଇବ । କବି କହୁଛନ୍ତି, ମୋର କ୍ଷୁଦ୍ରବୁଦ୍ଧି । ପ୍ରଭୁଙ୍କ ପାଦପଦ୍ମ ତଳେ । ମୁଁ ଶରଣ ପଶୁଛି ।